Thursday, 4 October 2018

ପୁରୀ ହିଂସାକାଣ୍ଡ ଘଟଣା; ଆମିକସ କ୍ୟୁରୀଙ୍କ ରିପୋର୍ଟ ତଲବ


ପୁରୀ, ୪/୧୦  : ବୁଧବାର ଶ୍ରୀମନ୍ଦିର ଧାଡ଼ି ଦର୍ଶନକୁ ବିରୋଧ କରି ବନ୍ଦ ପାଳନ ସମୟରେ ହିଂସାକାଣ୍ଡ ଘଟାଇଥିବା ଅଭିଯୋଗରେ ୬୦ ଜଣଙ୍କ ନାମରେ ୧୬ଟି ଦଫାରେ ମାମଲା ରୁଜୁ ହୋଇଥିବା ବେଳେ ୧୧ ଜଣଙ୍କୁ ପୁଲିସ ଗିରଫ କରିଛି । ସରକାରୀ ସମ୍ପତ୍ତକୁ ନଷ୍ଟ କରିବା, ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ଚାଉଳ, ଟଙ୍କା ଲୁଟ୍‍ କରିବା, ଡକାୟତି ଉଦ୍ୟମ, ପୁଲିସକୁ ଆକ୍ରମଣ, ପୁଲିସକୁ ହତ୍ୟା ଉଦ୍ୟମ୍‍ ଘଟଣାରେ ମାମଲା ରୁଜୁ କରାଯାଇଛି  । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟନ ମନ୍ଦିର ପ୍ରଶାସନଠାରୁ ରିପୋର୍ଟ ତଲବ କରିଛନ୍ତି । ଅପରପକ୍ଷରେ ପୁଲିସ ମହାନିର୍ଦ୍ଦେଶକ ଡକ୍ଟର ଆର୍‍.ପି.ଶର୍ମା ପୁରୀ ପରିଦର୍ଶନ କରିଛନ୍ତି  । ଶ୍ରୀମନ୍ଦିର ସହ ଶ୍ରୀମନ୍ଦିର ନିକଟର ଥିବା ଫାଣ୍ଡି ଓ ଥାନାକୁ ପରିଦର୍ଶନ କରିଛନ୍ତି  । ପୁଲିସ ମହାନିର୍ଦ୍ଦେଶକଙ୍କ ସହ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ
ପ୍ରିୟଦର୍ଶୀ ଘଟଣାର ସମୀକ୍ଷା କରିଛନ୍ତି  । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି  । ଏନେଇ ସିସିଟିଭି ଫୁଟେଜ୍‍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି  । ସେପଟେ ବୁଧବାର ପୁରୀରେ ବନ୍ଦ ସମୟରେ ଘଟିଥିବା ସମ୍ପୂର୍ଣ୍ଣ ଘଟଣାର ଭିଡିଓ କ୍ଲିପ୍‍ ଓ ରିପୋର୍ଟ ସୁପ୍ରିମ୍‍କୋର୍ଟଙ୍କ ଆମିକସ୍‍କ୍ୟୁରୀ (କୋର୍ଟଙ୍କ ମିତ୍ର) ଗୋପାଳ ସୁବ୍ରମଣ୍ୟମ୍‍ ମାଗିଛନ୍ତି  । କେଉଁ ପରିସ୍ଥିତିରେ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ବ୍ୟାହତ ହେଲା ଏବଂ କିଏ କେଉଁ ପରିସ୍ଥିତିରେ ବ୍ୟାରିକେଡ୍‍ ଭାଙ୍ଗି ବିଶୃଙ୍ଖଳା ସୃଷ୍ଟି କଲେ ତାହାର ସମସ୍ତ ତଥ୍ୟ, ଫଟୋ ଓ ଭିଡିଓ ଆମିକସ୍‍କ୍ୟୁରୀଙ୍କୁ ଦିଆଯିବ  । ଏହି ଘଟଣାକୁ ନେଇ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍‍ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି ବୋଲି ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି  । ପରୀକ୍ଷାମୂଳକ ଭାବେ ଧାଡ଼ି ବ୍ୟବସ୍ଥା କରାଯାଇଥିଲା ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି  । ପ୍ରକାଶଥାଉ କି, ବୁଧବାର ଘଟଣା ପରେ ବଡ଼ଦାଣ୍ଡରେ ଲଙ୍କାକାଣ୍ଡ ଘଟିଥିଲା  । ଏହାପରେ ୧୪୪ ଧାରା ଲାଗୁ କରାଯାଇଥିଲା  । ଏନେଇ ଶାନ୍ତି କମିଟି ବୈଠକ ବସିଥିଲା  । ପୁରୀ ଲୋକମାନେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଧାଡ଼ି ନ ଆସି ମନ୍ଦିରର ୪ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ  । ଏଥିପାଇଁ ନିଜ ପରିଚୟ ପତ୍ର ଆଣିବାକୁ ବାଧ୍ୟତାମୂଳକ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି  । ଅନ୍ୟପଟେ ସେବାୟତମାନଙ୍କ ପରିବାର ବିନା ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିର ପ୍ରବେଶ କରିପାରିବେ  । ସେମାନଙ୍କ ପାଇଁ କୌଣସି ବାଧା ରହିବ ନାହିଁ ବୋଲି ଶାନ୍ତି କମିଟି ବୈଠକରେ କୁହାଯାଇଛି  । ଲାଗୁ ହୋଇଥିବା ୧୪୪ ଧାରାକୁ ହଟାଇ ଦିଆଯାଇଛି  ।
ଗତକାଲି ପୁରୀରେ ଘଟିଥିବା ହିଂସାକାଣ୍ଡ ଘଟଣା ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ସ୍ୱାମୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ରିପୋର୍ଟ ଦେବାକୁ ଚିଠି ଲେଖିଥିବାବେଳେ ସିଂହଦ୍ୱାର ଶଖି ଭାଙ୍ଗିବା, ପତିତପାବନ ମୁର୍ତ୍ତି କଣାହେବା ସହ ବାଇଶି ପାହାଚ ରେ ବ୍ୟାରିକେଡ୍ ଭାଙ୍ଗିବା ସହ ଅନ୍ୟାନ୍ୟ ଘଟଣା ଉପରେ ବିସ୍ତୃତ ବିବରଣୀ ଦେବାକୁ ଖବର ଆସିଥିବା ଜଣାପଡିଛି । ପ୍ରକାଶ ଥାଉକି ଶ୍ରୀମନ୍ଦିର ଶୃଙ୍ଖଳା, ଦାନ ଦକ୍ଷିଣା ଓ ଅନ୍ୟାନ୍ୟ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଆମିକସ୍ କ୍ୟୁରୀ ପୁରୀ ଆସି ସେବାୟତ, ଗଜପତି ଓ ପ୍ରଶାସନ ଏବଂ ବୁଦ୍ଧିଜୀବୀ ମାନଙ୍କ ସଙ୍ଗେ କଥାବାର୍ତ୍ତା ହୋଇ ସେବାୟତ ମାନଙ୍କୁ ଶୃଙ୍ଖଳା ଆଣିବାକୁ କୁହାଯାଇଥିବା ବେଳେ ୧୨ଟି ପ୍ରସ୍ତାବ ଉପରେ ସୁପ୍ରିମକୋର୍ଟଙ୍କ ସଂସ୍କାର ମୁଳକ ପଦକ୍ଷେପ ଉପରେ ଶ୍ରୀମନ୍ଦିର ରେ ତଦାରଖ କରିଥିଲେ । ତାଙ୍କ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ ହେବା ସହ ବର୍ତ୍ତମାନର ରିପୋର୍ଟ ପାଇଲେ ଏହାକୁ ମଧ୍ୟ ଦାଖଲ କରିବେ । ଆସନ୍ତା ସମୟରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂପର୍କିତ ଆମିକସ୍ କ୍ୟୁରୀଙ୍କ ରିପୋର୍ଟ ଉପରେ ଶୁଣାଣୀ ହେବାର କାର୍ଯ୍ୟକ୍ରମ ରହିଛି । କେଉଁ କେଉଁ ସେବାୟତ ଏହି ଗଣ୍ଡଗୋଳରେ ସଂପୃକ୍ତ ଓ ସିସିଟିଭି ଫୁଟେଜ୍ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି  ।

No comments:

Post a Comment